ବଡ଼ବିଲ (୦୪.୦୪.୨୦୨୫): ପ୍ରଥମ ଥର ପାଇଁ, ଓଡ଼ିଶା ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପରମ୍ପରାକୁ ପାଳନ କରିବା ପାଇଁ ୧ ରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ କରାଯାଉଅଛି ।
କେବଳ ଏକ ଉତ୍ସବ ବ୍ୟତୀତ, ଓଡ଼ିଆ ପକ୍ଷ ଏକ ଆନ୍ଦୋଳନ ଯାହା ଓଡ଼ିଆ ସଂସ୍କୃତି ପ୍ରତି ଆଗ୍ରହକୁ ପୁନଃଜାଗୃତ କରିବାକୁ ଏବଂ ଲୋକମାନଙ୍କୁ ସେମାନଙ୍କର ଭାଷା, ସାହିତ୍ୟ, ଐତିହ୍ୟ ଏବଂ ସଂସ୍କୃତିର ପ୍ରଚାର ପାଇଁ ସକ୍ରିୟ ପଦକ୍ଷେପ ନେବାକୁ ପ୍ରେରଣା ଦେବାକୁ ଚେଷ୍ଟା କରେ। ଓଡ଼ିଆ ସଂସ୍କୃତିକୁ ଗ୍ରହଣ ଏବଂ ପ୍ରୋତ୍ସାହିତ କରି, ଏହି ପଦକ୍ଷେପ ନିଶ୍ଚିତ କରେ ଯେ ଆମେ ଓଡ଼ିଶାର ଅନନ୍ୟ ସାଂସ୍କୃତିକ ପରିଦୃଶ୍ୟକୁ ପରିଭାଷିତ କରୁଥିବା ଗଭୀର ପରମ୍ପରା ସହିତ ଜଡିତ ରହିବୁ।
ଏପ୍ରିଲ ୧ ରୁ ଏପ୍ରିଲ ୧୪ ତାରିଖ ଯାଏଁ ହେବାକୁ ଥିବା କାର୍ଯ୍ୟକ୍ରମ ମଧ୍ୟରେ ଏପ୍ରିଲ ୧ ତାରିଖ ଦିନ ‘ଓଡ଼ିଶା ଦିବସ’, ୨ ତାରିଖରେ ‘ଖଡ଼ିଛୁଆଁ ଦିବସ’, ୩ରେ ‘ପାରମ୍ପରିକ ପୋଷାକ ପରିଧାନ ଦିବସ’, ୪ରେ ‘ଓଡ଼ିଆ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା’, ୫ରେ ଭୁବନେଶ୍ଵରରେ ‘ଐତିହ୍ୟ ଗଣଦୌଡ଼’, ୬ରେ ଦେବାଳୟ ଓ ଐତିହ୍ୟ ସ୍ଥଳୀଗୁଡ଼ିକର ‘ସ୍ୱଚ୍ଛତା ଅଭିଯାନ’, ୭ ତାରିଖରେ ‘ବର୍ଣ୍ଣବୋଧ ଉତ୍ସବ’, ୮ରେ ‘ରକ୍ତଦାନ ଦିବସ’, ୯ରେ ‘ଆସ ବହିଟିଏ କିଣିବା ଦିବସ’, ୧୦ରେ ‘ଲୋକକଳା ପାଇଁ ଦିନଟିଏ’ କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ କଳାକାରଙ୍କୁ ସମ୍ବର୍ଦ୍ଧନା କରାଯିବ । ସେହିପରି ଏପ୍ରିଲ ୧୧ ତାରିଖରେ ‘ଯୁବ ଲେଖକ ସମ୍ମିଳନୀ’, ୧୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ‘ଓଡ଼ିଶା ବରପୁତ୍ରମାନଙ୍କ ଉପରେ ଆଲୋଚନା’, ଏପ୍ରିଲ ୧୩ରେ ‘ପାରମ୍ପରିକ ଖାଦ୍ୟ ଦିବସ’ ପାଳନ ଏବଂ ୧୪ ତାରିଖରେ ‘ଓଡ଼ିଆ ନବବର୍ଷ’ ମହାସମାରୋହରେ ପାଳନ କରାଯିବ । ଏଥିରେ ହୁଳହୁଳି, ଝୋଟି, ଚିତା, ମୁରୁଜ, ପିଠାପଣା ପ୍ରତିଯୋଗିତାମାନ ଆୟୋଜନ କରାଯିବ ବୋଲି ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ସୂଚନା ଦେଇଛନ୍ତି ।
ଆଜି ସାରା ରାଜ୍ୟରେ ଦୋକାନ ବଜାରରେ ଓଡ଼ିଆ ନାମ ଫଳକର ବ୍ୟବହାର ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ପକ୍ଷରୁ ଓଡ଼ିଆ ନାମ ଫଳକ ଅଭିଯାନ ସଚେତନତା ପଦଯାତ୍ରା ଚାଲିଥିବାବେଳେ ବଡବିଲ ପୌରପାଳିକା ତରଫରୁ ଏକ ସଚେତନତା ରେଲି ବଡବିଲ ଡାକବଙ୍ଗଳା ଛକଠାରୁ ବାହରି ବାଟା ଛକରେ ପହଞ୍ଚିଥିଲା । ବଡ଼ବିଲ ପୌରପାଳିକା ତରଫରୁ ସ୍ୱଚ୍ଛ ସାଥି, ସ୍ୱଚ୍ଛ ସୁପରଭାଇଜର, ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ହାତରେ ପ୍ଲା କାର୍ଡ ଧରି ‘ଓଡିଶାରେ ରହିବା – ଓଡିଆରେ କହିବା – ଓଡ଼ିଆରେ ଲେଖିବା ’ ପରି ବିଭିନ୍ନ ସ୍ଲୋଗାନ ଦେଇ ଦୋକାନରେ ଓଡିଆ ନାମ ଫଳକର ବ୍ୟବହାର କରିବା ପାଇଁ ସଚେତନ କରାଯାଇଥିଲା ।
ବଡବିଲ ପୌରପାଳିକାର କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଚେତନତା ରେଲିରେ ଗୋଷ୍ଠୀ ସଂଗଠିକା ସୁପ୍ରଭା ପାଣିଗ୍ରାହୀ, ମୁଖ୍ୟ କିରାଣି ରାଜେନ୍ଦ୍ର ସିଂ, ପୂର୍ଣ୍ଣଚନ୍ଦ୍ର ମହାନ୍ତ, କାଳିପ୍ରସାଦ ମହାନ୍ତ, ଆଶିଷ କୁମାର ନାଏକ, ଅଭିଷେକ ନାଏକ, ତୁଷାରକାନ୍ତ ନାଏକ, ଏମ୍.ଡି କଲିମ୍. ରାଜେନ୍ଦ୍ର ଦାସ, ସୌମ୍ୟରଂଜନ ବେହେରା, ବିଜୟ ବେହୁରିଆ, ଗୌତମ ମହାନ୍ତ, ଜଗବନ୍ଧୁ ମହାନ୍ତ, ପରଭେଜ୍ ଅଖତର୍, ଦଲଜିତ୍ ସିଂ ସହିତ ଅନ୍ୟ ପୌର କର୍ମଚାରୀ ସାମିଲ ହୋଇଥିଲେ ।

Leave a Reply