ବଡବିଲ ଥାନା ଅନ୍ତର୍ଗତ ଗ୍ରେୱାଲ ମିନେରାଲ୍ସ ଓ ମେଟାଲ୍ ଏଲ୍ ଏଲ୍ ପି ର ପରିଚାଳକ ନୀମାନନ୍ଦ ପ୍ରଧାନ ଗତ ବୁଧବାର ସନ୍ଧ୍ୟାରୁ ନିଖୋଜ ଥିବା ନେଇ ଶ୍ରୀ ପ୍ରଧାନଙ୍କ ଧର୍ମପତ୍ନୀ ସୁଜାତା ପ୍ରଧାନ ବଡବିଲ ଥାନାରେ ଏତଲା ଦେଇଛନ୍ତି । ଏତଲା ପାଇବା ପରେ ବଡବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ ତୁରନ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଏହା ଏକ ହାଇ ପ୍ରୋଫାଇଲ କେସ୍ ଏବଂ ଘଟଣାର ଗୁରୁତ୍ୱ ଦେଖି କେନ୍ଦୁଝର ଏସ୍ ପି ନୀତିନ କୁଶଲକଲ ଦାଗୁଡୁ ବଡବିଲ ଥାନାରେ ପହଞ୍ଚିବା ସହ ତଦନ୍ତକୁ ନିଜେ ଅନୁଧ୍ୟାନ କରୁଥିବା ଜଣାଯାଇଛି ।
ପ୍ରାପ୍ତ ସୂଚନାନୁସାରେ ବଡବିଲ ସିନେମା ହଲ ଛକ ନିକଟରେ ଥିବା ଗ୍ରେୱାଲ ମିନେରାଲ୍ସ ଓ ମେଟାଲ୍ ଏଲ୍ ଏଲ୍ ପି ର ଉପସଭାପତି ନିମାନନ୍ଦ ପ୍ରଧାନ ଗତ ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟରୁ ଘର ଅଭିମୁଖେ ବାହାରିଥିଲେ । ରାତି ପାଖାପାଖି ୮ଟା ସମୟରେ ଶ୍ରୀ ପ୍ରଧାନଙ୍କ ମୋବାଇଲରୁ ପତ୍ନୀ ସୁଜାତା ପାଖକୁ ଏକ ଫୋନ୍ ଯାଇଥିଲା କିନ୍ତୁ କିଛି ଶୁଭାଯାଇନଥିବାରୁ ପତ୍ନୀ ସୁଜାତା ତୁରନ୍ତ ଶ୍ରୀ ପ୍ରଧାନ କୁ ଫୋନ୍ ଲଗାଇଥିଲେ କିନ୍ତୁ ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା । ସେ କମ୍ପାନୀର ଅନ୍ୟ କର୍ମଚାରୀ ଙ୍କୁ ଯୋଗାଯୋଗ କରିଥିଲେ ହେଁ ସ୍ୱାମୀଙ୍କ ସମ୍ପର୍କରେ କୌଣସି ଖବର ପାଇନଥିଲେ ଏବଂ ତା ପରଦିନ ଗୁରୁବାର ବଡବିଲ ଥାନାରେ ସ୍ୱାମୀ ନିଖୋଜ ଥିବା ନେଇ ଏତଲା ଦେଇଥିଲେ ।
ପ୍ରକାଶଥାଉକି କମ୍ପାନୀରେ ସମୁଦାୟ ୩ଜଣ ଡ୍ରାଇଭର – ଏମ୍ ଡି ଫିରୋଜ, ଆକାଶ ଓ ଇନ୍ଦ୍ରଜିତ ଥିବାବେଳେ, ଏମ୍ ଡି ଫିରୋଜ କମ୍ପାନୀ ମାଲିକଙ୍କ ବ୍ୟକ୍ତିଗତ ଗାଡି ଚଳାଉଥିଲେ । ଆକାଶ କମ୍ପାନୀର ଉପସଭାପତି ନିମାନନ୍ଦ ପ୍ରଧାନଙ୍କ ବ୍ୟକ୍ତିଗତ ଗାଡି ଚଳାଉଥିବାବେଳେ ଇନ୍ଦ୍ରଜିତ ଅନ୍ୟ କାର୍ଯ୍ୟରେ ନିୟୋଜିତ ଥିଲେ । ମିଳିଥିବା ସୂଚନାନୁସାରେ ନିକଟରେ ଏମ୍.ଡି ଫିରୋଜ ଏକ ନୂଆ କାର କିଣିଥିଲେ ଓ ଏହି ଗାଡି ପଇଁ କମ୍ପାନୀର କର୍ମଚାରୀମାନେ ତାଙ୍କୁ ମିଠା ମାଗିଥିଲେ । ତେବେ ଗତ ବୁଧବାର ଏମ୍ ଡି ଫିରୋଜ ଲଡ୍ଡୁ ଆଣି କାର୍ଯ୍ୟାଳୟରେ ସମସ୍ତଙ୍କୁ ବାଣ୍ଟିଥିଲେ । ଏହି ଲଡୁ ଖାଇବା ପରେ ହଠାତ୍ ଅନ୍ୟ ଦୁଇ ଗାଡି ଚାଳକ ଆକାଶ ଓ ଇନ୍ଦ୍ରଜିତ ଅସୁସ୍ଥ ହୋଇପଡିଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ନିମାନନ୍ଦ ଏମ୍ ଡି ଫିରୋଜ ସହ ଡ଼ଷ୍ଟରକାର (ଓଡି୩୩ କେ ୭୨୨୩) କାରରେ ନିଜ ଘର ଅଭିମୁଖେ ବାହାରିଥିଲେ ହେଁ ଘରେ ପହଞ୍ଚିନଥିଲେ ।
ଏନେଇ ବଡବିଲ ଥାନାରେ ନିମାାନନ୍ଦ ଙ୍କ ପତ୍ନୀ ଏବଂ ଏମ୍ ଡି ଫିରୋଜଙ୍କ ପରିବାର ତରଫରୁ ଦୁଇଟି ନିଖୋଜ ମାମଲା ରୁଜୁ କରାଯାଇଛି । ତେବେ ବଡବିଲ ପୋଲିସ ଜୋରସୋର ତନାଘନା ଆାରମ୍ଭ କରିଥିବା ଜଣାଯାଇଛି । କମ୍ପାନୀ କର୍ମଚାରୀଙ୍କୁ ପୋଲିସ ପଚରାଉଚୁରା କରିବା ସହିତ ରାସ୍ତାରେ ଥିବା ସମସ୍ତ ସିସିଟିଭି ଫୁଟେଜ କୁ ଜାଞ୍ଚ କରି ଗୋଟିଏ ଟିମ୍ ଝାରଖଣ୍ଡ ବଡାଜାମଦା ଯାଇଥିବା ଜଣାଯାଇଛି ।
ତେବେ ସମସ୍ତ ଘଟଣାକୁ ତର୍ଜମା କଲେ ଏହା ଏକ ସୁପରିକଳ୍ପିତ ଅପହରଣ ହୋଇପାରେ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Leave a Reply