ଓଡ଼ିଆ ସଂସ୍କୃତିକୁ ପୁନଃ ଜାଗୃତ କରିବାକୁ ତଥା ଲୋକମାନଙ୍କୁ ସେମାନଙ୍କର ଭାଷା, ସାହିତ୍ୟ, ଐତିହ୍ୟ ଏବଂ ସଂସ୍କୃତିର ପ୍ରଚାର ପାଇଁ ସାରା ରାଜ୍ୟରେ ପାଳିତ ହେଉଛି ଓଡ଼ିଆ ପକ୍ଷ । ବଡବିଲ ପୌରପାଳିକା ଦ୍ୱାରା ମଧ୍ୟ ବଡବିଲରେ ଅପ୍ରେଲ ୧ ରୁ ଆରମ୍ଭ ହୋଇ ଅପ୍ରେଲ ୧୪ ପର୍ଯ୍ୟନ୍ତ ଅନବରତ ଭାବେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ଓଡିଆ ଭାଷା, ସାହିତ୍ୟ, ଐତିହ୍ୟ ଓ ସଂସ୍କୃତି ପ୍ରତି ସଚେତନ କରାଯାଇଛି ।
କିନ୍ତୁ ଆଜି ‘ଓଡିଆ ପକ୍ଷ’ ର ଶେଷ ଦିନରେ ଏକ ବିଚିତ୍ର ଦୃଶ୍ୟ ସାମ୍ନାକୁ ଆସିଛି । ୧୨୫୦ ଖ୍ରୀଷ୍ଟାବ୍ଦରେ ପୂର୍ବ ଗଙ୍ଗ ରାଜବଂଶର ରାଜା ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ, ହିନ୍ଦୁ ଦେବତା ସୂର୍ଯ୍ୟଙ୍କୁ ଉତ୍ସର୍ଗୀକୃତ, କଳିଙ୍ଗ ସ୍ଥାପତ୍ୟ ଏବଂ କଳାତ୍ମକ ଉତ୍କର୍ଷତାର ଶୀର୍ଷକୁ ପ୍ରତିଫଳିତ କରୁଥିବା ବିଶାଳ ଚକ ଏବଂ ଘୋଡା ସହିତ ୧୦୦ ଫୁଟ ଉଚ୍ଚ ରଥ ପରି ଦେଖାଯାଉଥିବା କୋଣାର୍କ ସୂର୍ଯ୍ୟ ମନ୍ଦିରର ପ୍ରତିକୃତି ଏବେ (use and throw ) ଚା’ଗ୍ଲାସ୍ ରେ ଦେଖିବାକୁ ମିଳିଛି । ବଡବିଲ ମୁଖ୍ୟ ରାସ୍ତାରେ ଥିବା କିଛି ଚା’ ଦୋକାନୀ ଏହି ଏକକ ବ୍ୟବହାର ପେପର ଗ୍ଲାସ୍ ରେ ଚା’ ଦେଉଛନ୍ତି, ଯଦ୍ୱାରା ଲୋକେ ଚା’ ପିଇବା ପରେ ଡଷ୍ଟବିନ୍ ରେ ପକେଇ ଦେଉଛନ୍ତି ଏବଂ ଏହି ଡଷ୍ଟବିନ୍ କୁ ପରେ ଉଠାଇ ନାଳି ନର୍ଦ୍ଧମାରେ ଫିଙ୍ଗି ଦିଆଯାଉଛି । ପରୋକ୍ଷ ଭାବରେ ଦେଖିବାକୁ ଗଲେ ଓଡିଆ ଐତିହ୍ୟକୁ ନାଳିରେ ଫିଙ୍ଗା ଯାଉଛି । ୟୁନେସ୍କୋ କୋଣାର୍କର ଏହି ଚମତ୍କାର କୃତିକୁ ବିଶ୍ୱ-ଐତିହାସିକ ସ୍ଥଳ ଭାବରେ ନାମିତ କରିଛି । ନିକଟ ଅତିତରେ ନ୍ୟୁ ୟର୍କର ଟାଇମ୍ସ ସ୍କୋୟାର ରେ ୭୭ତମ ସ୍ୱାଧୀନତା ଦିବସ ପାଳନ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଏକ ପ୍ରତିକୃତି ଉନ୍ମୋଚନା କରାଯାଇଥିଲା । କୋଣାର୍କ ସୂର୍ଯ୍ୟ ମନ୍ଦିର କଳିଙ୍ଗ ସ୍ଥାପତ୍ୟର ସର୍ବୋତ୍ତମ ଉଦାହରଣ, ଯାହାର ସୌନ୍ଦର୍ଯ୍ୟ ଲକ୍ଷଲକ୍ଷ ଲୋକଙ୍କୁ ଆକର୍ଷିତ କରିଥାଏ । ଦେଶ ବିଦେଶରୁ ଲୋକେ କୋଣାର୍କ ମନ୍ଦିରର ଆକର୍ଷଣୀୟ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଧାଇଁ ଆସୁଛନ୍ତି । ଓଡିଶାର ଐତିହ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲୁରହିଥିବାବେଳେ ଓଡିଆ ଐତିହ୍ୟର ପ୍ରତିକୃତିକୁ ଏମିତି ଅଳିଆଗଦାରେ ଦେଖି ଓଡିଆଙ୍କ ମନରେ କୁଠାରଘାତ ହେବା ସ୍ୱଭାବିକ । ତେବେ ଏ ବିଷୟରେ କିଛିଟା ଅନୁସନ୍ଧାନ କରିବାରୁ ଜଣାପଡିଲାଯେ ପେପର୍ ପ୍ଲେଟ୍, ଚା’ କପ୍ ହୋଲ୍ ସେଲିଂ କରୁଥିବା ଦୋକାନୀମାନେ ଏହାକୁ ବାହାରୁ ମଗାଇ ବିକ୍ରି କରିଥାନ୍ତି ଚା’ ଦୋକାନୀଙ୍କୁ । ବଡବିଲ ମୁଖ୍ୟ ରାସ୍ତା ଉପରେ ଥିବା ଏକ ଚା’ ଦୋକାନୀ ଏହି “କୋଣାର୍କ ସୂର୍ଯ୍ୟ ମନ୍ଦିର ଓ କୋଣାର୍କ ଚକ୍ର” ଥିବା ଚା’ କପ୍ ବ୍ୟବହାର କରୁଥିବାବେଳେ ସେ ନ୍ୟୁ ମାର୍କେଟ ଅଞ୍ଚଳରୁ ଏହି କପ୍ କିଣିଥିବା ଜଣା ଯାଇଛି । ପ୍ରଶାସନ ଏହା ଉପରେ ଦୃଷ୍ଟି ଦେବା ସହିତ ଏହାର ଅନୁସନ୍ଧାନ କରି ଏହାର ବିକ୍ରି ଉପରେ ରୋକ୍ ଲଗାଇବା ପାଇଁ ସାଧାରଣରେ ଦାବି ହେଉଛି । ଯଦି ଏହା ଉପରେ ରୋକ୍ ଲଗାନଯାଏ ତେବେ ଆଗକୁ ଓଡିଆ ଐତିହ୍ୟ ନାଳି ନର୍ଦ୍ଦମାରେ ପଡିବା ସହିତ ବର୍ତ୍ତମାନ ଚାଲିଥିବା ‘ଓଡିଆ ପକ୍ଷ’ ଯେ ଏକ ପ୍ରହଶନ ପାଲଟିବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।

Leave a Reply