ବଡ଼ବିଲ (୦୭/୧୨/୨୦୨୪) : ବଡ଼ବିଲ, କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ଏହି ସହରକୁ ଆଜି କିଏ ବା ନଜାଣେ । ଖଣି-ଖାଦାନ, କଳ କାରଖାନା, ଲୁହାପଥର, ମାଙ୍ଗାନିଜ ପରି ଖଣିଜ ଦ୍ରବ୍ୟରେ ଭରପୁର ଥିବା ଏହି ସହର ଆଜି ସାରା ଓଡିଶା ତଥା ଓଡିଶା ବାହାରେ ମଧ୍ୟ ବେଶ୍ ପରିଚିତ । ଏକ ବିଜନେସ୍ ହବ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଦେଶ ବିଦେଶରୁ ଲୋକ ଆସି ଏଠାରେ ବ୍ୟବସାୟ କରୁଛନ୍ତି । କାହାର ଖଣିରେ ଗାଡି ଚାଲିଛି ତ କେହି ଟ୍ରାନ୍ସପୋର୍ଟିଂ କରୁଛି । ହଜାର ହଜାର ଗାଡି ଚାଲୁଛି ରାସ୍ତାରେ, ଖଣିଜ ପଦାର୍ଥ ରତ୍ପାନୀ ହେଉଛି ଦେଶ ବିଦେଶକୁ । ହଜାର ହଜାର କୋଟି ଟଙ୍କାର ରାଜସ୍ୱ ଆଦାୟ ହେଉଛି ବଡବିଲରୁ । କିନ୍ତୁ ………..
କିନ୍ତୁ ପ୍ରଶାସନିକ ଅବ୍ୟବସ୍ଥା ପାଇଁ ଏହି ସହର ଏବେ ବେଆଇନ୍ ପାର୍କିଂ ୟାର୍ଡର ସହର ଭାବେ ପରିଚିତ ହେବାକୁ ଲାଗିଲାଣି । ଯିଏ ଯେଉଁଠି ପାରିଲା ଗାଡ଼ି ପାର୍କିଂ କରି ଦେଉଛନ୍ତି । ବାଟା ଛକି ଠାରୁ ଶିବଲାଲ ପାର୍କ ଦେଇ ରିଲାଏନ୍ସ ମାର୍ଟ ଯାଏ ରାସ୍ତାର ଉଭୟ ପାଶ୍ୱର୍ରେ ଦୋକାନ ସାମନା ରେ ଗାଡି ଲାଇନ୍ ରେ ପାର୍କିଂ ହେଉଥିବା ଦେଖିବାକୁ ମିଳୁଛି । ବିଶେଷ କରି ଏଚ୍ ଡି ଏଫ୍ ସି ଓ ଆଇ ସି ଆଇ ସି ଆଇ ବ୍ୟାଙ୍କ ସାମନାରେ ଏହି ବେଆଇନ ପାର୍କିଂ ର ମାତ୍ରା ଅତ୍ୟଧିକ । ଲୋକେ ବ୍ୟାଙ୍କ ସାମନାରୁ ରାସ୍ତା ମଝିଯାଏ ଗାଡି ରଖିଦେଉଛନ୍ତି ଯାହା ଫଳରେ ଅଧା ରାସ୍ତା କବଜା ହେଇଯାଉଛି ଏବଂ ଗାଡି ଯିବା ଆସିବା ପାଇଁ ସମସ୍ୟା ସୃଷ୍ଟି କରୁଛି ।
ଦ୍ୱିତୀୟତଃ ରାସ୍ତା କଡରେ ବେଆଇନ୍ ଭାବେ ବଢି ଚାଲିଛି ଉଠା ଦୋକାନ । ରବିବାର ବଜାର ପୁରୁଣା ହଷ୍ଟେଲ ସାମନା ତ ଏକ ପ୍ରରକାର କବଜା କରିସାରିଲେଣି କିଛି ଦୋକାନୀ । ରାସ୍ତାର ଗୋଟିଏ ପାଖକୁ କବଜା କରି ଦୋକାନ ଲଗାଯାଉଛି, ଜଳଖିଆ ଦୋକାନ କରାଯାଇଛି ଏବଂ ଦୋକାନ ସାମନା ରେ ଗାଡି ରଖି ଲୋକେ ଦୋକାନଗୁଡିକରେ ସଉଦା କରୁଥିବା, ଜଳଖିଆ କରୁଥିବା ଯୋଗୁଁ ସହରର ଏହି ରାସ୍ତା ସଙ୍କୁଚିତ ହେବାରେ ଲାଗିଲାଣି । ଫଳରେ ସବୁବେଳେ ଟ୍ରାଫିକ୍ ସମସ୍ୟା ଲାଗି ରହୁଛି । ଯାନବାହାନ ଯିବା ଆସିବା କରିବା, ଏପରିକି ଚାଲି ଚାଲି ଯିବା ପାଇଁ ବି ଲୋ କେ ବେଳେ ବେଳେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି । ଏହି ରାସ୍ତା ସରକାରୀ ଡାକ୍ତରଖାନାକୁ ଯାଉଥିବା ଯୋଗୁଁ ରୋଗୀ ଏବଂ ଆମ୍ବୁଲାନ୍ସର ଯାତାୟତ ବେଶି ହୋଇଥାଏ । କିନ୍ତୁ ବେଳେ ବେଳେ ଆମ୍ବୁଲାନ୍ସ ବି ସହର ଭିତର ଏହି ରାସ୍ତା ରେ ଜାମ୍ ରେ ଫସିଯିବାର ନଜର କୁ ଆସିଛି ।
ବଡବିଲର ସବୁ ରାସ୍ତା ଏବେ ସଂକୁଚିତ ହେବାକୁ ଲାଗିଛି ଏବଂ ଏହାର ମୁଖ୍ୟ କାରଣ ହେଉଛି ରାସ୍ତା କଡର ପାର୍କିଂ । ରାସ୍ତାରେ ଥିବା ଦୋକାନ, ଅଫିସକୁ ଆସୁଥିବା ଲୋକ ରାସ୍ତା କଡେ ଗାଡି ରଖିଦେଉଛନ୍ତି । ସହରର ସବୁଠାରୁ ବ୍ୟସ୍ତବହୁଳ ରହେ ବାଟା ଛକି ଠାରୁ ଶିବଲାଲ ପାର୍କ । ତେବେ ଏଠାରେ କେବଳ ଦୁଇ ଚକିଆ ଯାନ ପାଇଁ ସୁବିଧା ଥିଲେ ସୁଦ୍ଧା ଲୋକେ ୪ ଚକିଆ ଯାନ ରଖିଦେଉଛନ୍ତି । ଫଳରେ ଅନ୍ୟ ଗାଡି ଯିବାପାଇଁ ବହୁ ଅସୁବିଧା ହେଉଥିବାର ଦେଖିବାକୁ ମିଳୁଛି । ଶିବଲାଲ ପାର୍କରୁ ବସଷ୍ଟାଣ୍ଡ ଯାଏ ବାଇପାସ୍ ଥିବାବେଳେ ଦିନବେଳେ ମଧ୍ୟ ବସ୍ ଗୁଡିକ ସହର ମୁଖ୍ୟ ରାସ୍ତା ଦେଇ ଯିବା ଆସିବା କରୁଛି । ଫଳରେ ସହର ଭିତରେ ଧୂଳି ଉଡିବା ସହିତ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି । ଏନେଇ ପୋଲିସ ଓ ପ୍ରଶାସନିକ ଅଧିକାରୀ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଭଳି ପରିଲକ୍ଷିତ ହେଉନଥିବାବେଳେ ବଡବିଲର ବୁଦ୍ଧିଜିବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
ତେବେ ବଡବଲ ପୌରପାଳିକାକୁ ନୁଆ ହୋଇ ଆସିଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ, ବଡବିଲ ଆସୁ ଆସୁ ପ୍ଲାଷ୍ଟିକ ଉପରେ ଅଙ୍କୁଶ ଲଗାଇବା ଏବଂ ବଡବିଲ ପୌରପାଳିକାକୁ ପଲିଥିନ ମୁକ୍ତ କରିବା ପାଇଁ ଅଣ୍ଟା ଭିଡିଥିବା ଦେଖାଦେଇଛି । ବିଗତ ଦିନରେ ବଡବିଲ ବଜାରର ବିଭିନ୍ନ ଦୋକାନରେ ଚଢାଉ କରି ବିପୁଳ ପରିମାଣର ପଲିଥିନ ଓ ପ୍ଲାଷ୍ଟିକ ଗ୍ଲାସ୍ କୁ ଜବତ କରିଥିବାବେଳେ ଆଗାମୀ ଦିନରେ ଯଦି ଏସବୁ ପ୍ଲାଷ୍ଟିକ ସାମଗ୍ରୀ ମିଳିଲେ ଆଇନ ଅନୁଯାୟୀ ଦଣ୍ଡିତ ହେବା ସହିତ ଜରିମାନା ଆଦାୟ ହେବ ବୋଲି ସିଧାସଳଖ ସତର୍କ ବାଣୀ ଶୁଣାଇଦେଇଛନ୍ତି ।
କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଏପରି କାର୍ଯ୍ୟାନୁଷ୍ଠାନ ଦେଖି ବଡବିଲବାସୀଙ୍କ ମନରେ କିଛି ଟା ଆଶା ଦେଖିବାକୁ ମିଳିଛି । ଯଦି ପ୍ରଶାସନ ଏବଂ ପୋଲିସି ମିଶି ଏହି ଟ୍ରାଫିକ୍ ସମସ୍ୟା ଉପରେ ଗୁରୁତ୍ୱ ଦେଇ ଉଠାଦୋକାନୀ ଏବଂ ରାସ୍ତା କଡର ବେଆଇନ୍ ପାର୍କିଂ କୁ ହଟାଇବା ସହିତ ଦିନବେଳେ ସହର ମଧ୍ୟରେ ଭାରୀଯାନ ତଥା ବସ୍ ଚଳାଚଳକୁ ବନ୍ଦ କରିବେ ତେବେ ସହରର ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ମିଳିବା ସହିତ ପ୍ରଦୁଷଣ କୁ ବି ରୋକାଯାଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
Leave a Reply