ବଡ଼ବିଲ (୩୦.୧୧.୨୦୨୪) : ଏବେ ପୁଲିସର ମନୋବଳ ଭାଙ୍ଗିଦିଆଯାଉଛି । ଆଇଆଇସି, ଏସ୍ ପିଙ୍କୁ ଶାସକ ଦଳର ପାନ ଖିଆ ଛେତେଲା ପାଟିଆ କର୍ମୀ ବି ଧମକ ଦେଉଛି । ଆମ ସରକାରରେ ବିଧାୟକ ଥାନାକୁ କଲ୍ କରିବାକୁ ସାହସ କରୁ ନଥିଲେ । କିନ୍ତୁ ଏବେ ଶାସକ ଦଳ ନେତାଙ୍କ ଆଚରଣ, ଉଚ୍ଚାରଣ ହିଁ ଅପରାଧୀଙ୍କୁ ପ୍ରୋତ୍ସାହିତ କରୁଛି ।
ଗତକାଲି ବିଧାନସଭାରେ ନାବାଳିକା ଓ ମହିଳାଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଘଟଣାରେ ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆସିଥିଲା । ଆଲୋଚନା ଆରମ୍ଭ କରି ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁ ଏମିତି ଆରୋପ ଲଗାଇଥିଲେ । ସେ ଅଭିଯୋଗ କରିଥିଲେ, ମନ୍ତ୍ରୀ ଓ ବିଧାୟକଙ୍କ ଲୋକ କହି ଶାସକ ଦଳର କର୍ମୀମାନେ ଥାନାକୁ ଫୋନ୍ କରି ଧମକାଉଛନ୍ତି । ଡିଜିଙ୍କ ହାତ ବାନ୍ଧି ଦିଆଯାଇଛି । ଫଳରେ ଅପରାଧୀଙ୍କ ସାହସ ବଢ଼ିଗଲାଣି । ମନ୍ତ୍ରୀମାନେ ଦାୟିତ୍ବହୀନ ମନ୍ତବ୍ୟ ଚିନ୍ତାର ବିଷୟ ହୋଇଛି । ଶାସକ ଦଳ ଏବେ ବି ଉଦ୍ଦୀପନାରେ ମସଗୁଲ ଅଛନ୍ତି । ତାହାର ଫଳ ଭୋଗୁଛନ୍ତି ସାଧାରଣ ଲୋକ । ଅପରାଧିକ ଘଟଣା ପ୍ରତି ସରକାରୀ କଳର ନିଷ୍କ୍ରିୟତା ଓ ସମ୍ବେଦନହୀନତା ପାଇଁ ଘଟଣା ବଢ଼ିଛି। ବଲାଙ୍ଗୀରରେ କାଗଜପତ୍ର କରି ପିଲା ବିକ୍ରି କରାଯାଉଛି । ଶାସନତନ୍ତ୍ରରେ ମାନବବାଦ ଓ ସମ୍ବେଦନଶୀଳତା ଲୋପ ପାଇଲାଣି । ଆପଣମାନଙ୍କ ଆଚରଣ, ଉଚ୍ଚାରଣ ଅତ୍ୟନ୍ତ ଚିନ୍ତାଜନକ । ମଦମୃତ୍ୟୁ, ପୁରୀରେ ପହଣ୍ଡି ବିଭ୍ରାଟ ଓ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଆଦି ସବୁ ପ୍ରସଙ୍ଗକୁ ହାଲ୍ଲା କହି ଖସିଯାଉଛନ୍ତି । ପାଞ୍ଚ ମାସ ଟପିଗଲାଣି, ଆଉ ଶିଶୁ ସରକାର ବୋଲି କହିପାରିବେନି । ଏ ସରକାରର ମୂଳଦୁଆ ହିଁ ଦୁର୍ବଳ ହୋଇଯାଇଛି ।
ଗଣେଶ୍ବର ବେହେରା କହିଲେ, ରାଜ୍ୟରେ ହେଉଥିବା ଅପରାଧିକ ଘଟଣାଗୁଡ଼ିକୁ ଅସ୍ବୀକାର ନକରି ତାହାର ପୁନରାବୃତ୍ତି ନ ହେବାକୁ ଉଦ୍ୟମ କରନ୍ତୁ । ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ନନେଲେ ଅପରାଧପ୍ରବଣତାକୁ ଆପଣ ରୋକିପାରିବେ ନାହିଁ | ରାଜ୍ୟପାଳଙ୍କ ପୁଅ ଏ ଏସ ଓ ଙ୍କୁ ମାଡ଼ ମାରିବା ଘଟଣାରେ ଜିଲ୍ଲାପାଳ କି ରିପୋର୍ଟ ଦେଲେ ଏବଂ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ।
କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ଭୁବନେଶ୍ଵରରେ ଶିଶୁ ବିକ୍ରି ହେଉଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଦେଢ଼ ବର୍ଷର ଶିଶୁକୁ ଦୁଷ୍କର୍ମ ଉଦ୍ୟମ ହୋଇଛି । ରାଜ୍ୟରେ ମହିଳାଙ୍କ ନିର୍ଯାତନା ବଢ଼ିଚାଲିଛି ।
ସୋଫିଆ ଫିର୍ଦୋସ କହିଲେ, ରାଜ୍ୟରେ ସରକାର ସିନା ବଦଳିଗଲା, କିନ୍ତୁ ମହିଳାଙ୍କ ସ୍ଥିତି ତଳକୁ ତଳ ଗଲା । ଅପରାଧୀଙ୍କ ସାହସ ବଢ଼ିଗଲାଣି । ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନାହିଁ । କୁଚିଣ୍ଡାରେ ଜଣେ ଆଦିବାସୀ ଝିଅକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଜଣେ ମନ୍ତ୍ରୀଙ୍କ ଖାସ୍ ସହଯୋଗୀ । ଥାନାକୁ ଗଲେ ପୁଲିସ ଏତଲା ରଖୁ ନାହାନ୍ତି ଥାନାରେ ମହିଳାଙ୍କୁ ଖରାପ ବ୍ୟବହାର କରାଯାଉଛି । ଚାରିଆଡ଼େ ନୈରାଶ୍ୟ ଖେଳିଗଲାଣି ।
ଶାସକ ଦଳର କୁଜିନେତା ମାନେ ଦିନକୁ ଦିନ ସମସ୍ତ ସରକାରୀ ଓ ବେସରକାରୀ ଦପ୍ତର, କାର୍ଯ୍ୟାଳୟକୁ ଅକ୍ତିଆର କରିଚାଲିଛନ୍ତି । ମନ୍ତ୍ରୀ ଲୋକ, ବିଧାୟକଙ୍କ ଖାସ୍ ଲୋକ କହି ଖଣି କାର୍ଯ୍ୟ ହାତେଇବା, ଚାନ୍ଦାବଟି ଆଦାୟ କରିବା ଭଳିଆ ଘଟଣା, ବିଭିନ୍ନ ଅପରାଧିକ ଘଟଣାରେ ଜଡିତ ହେବା ତଥା ପୋଲିସକୁ ହାତବାରିଶି କରି ନିଜ ଇଙ୍ଗିତରେ ଚଲାଇବା – ସାଧାରଣରେ ଚିନ୍ତାର ବିଷୟ ହେଲାଣି । ଦିନ ଥିଲା ଶାସକ ଦଳ ହେଉ ବା ବିରୋଧି ଦଳ ହେଉ କୁଜି ନେତା, ଚେଲା ଚାମଚା ମାନେ ପୋଲିସ ଥାନା ପାଚେରୀ ଭିତରକୁ ପଶିବା ପାଇଁ ଭୟ କରୁଥିବାବେଳେ, ଆଜି ସେହି ଚେଲା-ଚାମଚା ପୋଲିସ୍ କୁ ଧମକାଉଥିବା ଅବା ପୋଲିସ ଜରିଆରେ ନିଜର ସ୍ୱାର୍ଥ ପୁରଣ କରୁଥିବାଭଳିଆ ଘଟଣା ନଜରକୁ ଆସୁଛି ।
ଏ ଦେଶ ଯାଉଛି କୁଆଡେ ?
ମୂଳ ଲେଖା – ତା ୨୮.୧୧.୨୦୨୪, ସମ୍ବାଦ ଖବର କାଗଜରେ ପ୍ରକାଶିତ
Leave a Reply