ବଡ଼ବିଲ, ୨୭.୧୨.୨୦୨୪: କେନ୍ଦୁଝର ଜିଲ୍ଲା ଯୋଡା ଖଣି ମଣ୍ଡଳ ଅନ୍ତର୍ଗତ ରୋଇଡା ସ୍ଥିତ Odisha Minerals Development Corporation (OMDC) ଖଣିରେ ପୁଲିସ ଓ ଯୋଡ଼ା ଖଣି ଉପ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇ ପ୍ରାୟ ୧୧ଟି ଲୁହା ପଥର ବୋଝେଇ ଟ୍ରକ୍କୁ ଅଟକ ରଖିବା ସହିତ ବିଭାଗୀୟ ଯାଞ୍ଚ ଆରମ୍ଭ ହୋଇଛି | ପ୍ରାପ୍ତ ସୂଚନାନୁସାରେ ଓଏମ୍ଡିସି ଖଣିର ଲିଜ ମିଆଦ ସରିଯାଇଥିବା ବେଳେ ଏହାର ଖଣିଜ ଉତ୍ତୋଳନ କାର୍ଯ୍ୟ ବନ୍ଦ ରହିଛି | ତେବେ ଏଠାରେ ପୂର୍ବରୁ ଗଚ୍ଛିତ ଥିବା ଲୁହାପଥରକୁ କେବଳ ପରିବହନ କରିବା ପାଇଁ ଖଣି ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। କିନ୍ତୁ ଓଏମ୍ଡିସି କମ୍ପାନୀ ଏଠାରେ ଖଣି ଖନନ, ଉତ୍ତୋଳନ ଓ ପରିବହନ କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଗତ କାଲି ପୁଲିସ ଓ ଯୋଡ଼ା ଖଣି ଉପ ନିର୍ଦ୍ଦେଶାଳୟ ପକ୍ଷରୁ ଚଢ଼ଉ କରାଯାଇଥିଲା ଏବଂ ଅବୈଧ ଉତ୍ତୋଳନ ହେଇଥିବା ଜଣାପଡିଥିଲା ।
ଯୋଡା ଖଣି ଉପନିର୍ଦେଶାଳୟ ର ବରିଷ୍ଠ ଖଣି ନିରୀକ୍ଷକ ଦେବେନ୍ଦ୍ର ନାଥ ପଲେଇ ଏନେଇ ସୂଚନା ଦେଇଛନ୍ତି ଯେ, ଖଣି ବିଭାଗ ପକ୍ଷରୁ ଅନୁମୋଦିତ ହୋଇଥିବା ଷ୍ଟାକ୍ ରୁ ଲୁହାପଥର ପରିବହନ ହେଉଥିଲା ନା ଖଣି ଉତ୍ତୋଳନ କରାଯାଇ ପରିବହନ ହେଉଥିଲା, ଏହା ଯାଞ୍ଚ ହେଉଛି, ଷ୍ଟକ୍ ଏବଂ ଷ୍ଟାକ୍ ର ଦୈର୍ଘ୍ୟ, ପ୍ରସ୍ଥ ଓ ଉଚ୍ଚତା ମାପ କରାଯାଉଛି । କେଉଁ କେଉଁ କମ୍ପାନୀ ବା ଟ୍ରେଡର ଏହି ଖଣିରୁ ଖଣିଜ ନେଇଛନ୍ତି, ତାଉପରେ ମଧ୍ୟ ଯାଞ୍ଚ ହେବ ।
ଏହି ଚଢାଉ ସମୟରେ ବଡବିଲ ଥାନାଧିକାରୀ, ଯୋଡା ଖଣି ଉପନିଦେ୍ର୍ଦଶାଳୟର ବରିଷ୍ଠ ଖଣି ନିରୀକ୍ଷକ ଦେବେନ୍ଦ୍ର ନାଥ ଦଳେଇ, ପଦ୍ମନାଭ ମହାନ୍ତିଙ୍କ ସହିତ ରାଜ୍ୟସ୍ତରୀୟ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ତଥା ପୋଲିସ ଫୋର୍ସ ଉପସ୍ଥିତ ଥିବାବେଳେ, କୌଣସି ଅଧିକାରୀଙ୍କୁ ଗିରଫ କରାଯାଇନଥିବା ଜଣାଯାଇଛି ।

Leave a Reply