କାଲି ମୋ ପାଖକୁ ଜଣେ ଭଦ୍ର ବ୍ୟକ୍ତିଙ୍କ ଫୋନ୍ ଆସିଲା – ‘ରାକେଶ! ତୁଳସୀ ଅପାଙ୍କ ଯଉ ଫିଲ୍ମ ଆସିଥିଲା – ତାହା କେମିତି ଦେଖିହେବ କହିଲୁ ? ମୁଁ କହିଲି – ଠିକ୍ ଅଛି, ଦେଖୁଛି ଯଦି ଅନ୍ ଲାଇନ୍ ଥିବ ମାନେ ୟୁ ଟୁ୍ୟବ୍ କିମ୍ବା କୌଣସି ଓ.ଟି.ଟି ପ୍ଲାଟ୍ଫର୍ମରେ, ତାହେଲେ ମିଳିଯିବ । ଦୁଃଖର ବିଷୟ ‘ତୁଳସୀ ଅପା’ ଚଳଚିତ୍ର ପ୍ରଥମ ଓଡିଆ ଜିବନୀ ଚଳଚିତ୍ର ( Odia biographical film) କିନ୍ତୁ ଏହା ଅନ୍ ଲାଇନ୍ ଉପଲବ୍ଧ ନୁହଁ । ଚଳଚିତ୍ର ଟି ସିନେମାଘରରେ ମୁକ୍ତିଲାଭ କରିବା ପରେ ମାତ୍ର ୩ମାସ ପାଇଁ ‘ଆମାଜନ୍ ପ୍ରାଇମ୍’ ରେ ଉପଲବ୍ଧ ଥିଲା ପରେ ଏହାକୁ ହଟେଇ ଦିଆଗଲା । ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କ ଜୀବନି ଉପରେ ଆଧାରିତ ଏହିି ଚଳଚିତ୍ର ୧୯ ମଇ ୨୦୧୭ ମସିହାରେ ଇଷ୍ଟର୍ଣ୍ଣ ମିଡିଆ ବ୍ୟାନରରେ ସିନେମା ହଲ୍ ରେ ରିଲିଜ ହୋଇଥିଲା । ଅନୁପମ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ଓ ଅମିୟ ପଟ୍ଟନାୟକଙ୍କ ଦ୍ୱାରା ନିର୍ଦେଶିତ ଏହି ଚଳଚିତ୍ର ସିନେମା ହଲ୍ ରେ ଭଲ ବ୍ୟବସାୟ କରିବା ସହିତ ଦର୍ଶକ ବି ଖୁବ୍ ପସନ୍ଦ କରିଥିଲେ । ଏହି ଚଳଚ୍ଚିତ୍ରଟି ବିଭିନ୍ନ ଚଳଚିତ୍ର ମହୋତ୍ସବ ରେ ସମାଲୋଚିତ ହୋଇଥିଲା ଏବଂ ୬ ଟି ଓଡିଶା ରାଜ୍ୟ ପୁରସ୍କାର ସମେତ ଅନେକ ପୁରସ୍କାର ଜିତିଛି। ଏହା ବେଙ୍ଗାଲୁରୁ, କୋଲକାତା, ତେହେରାନ ଏବଂ ଅନ୍ୟାନ୍ୟ ଚଳଚ୍ଚିତ୍ର ମହୋତ୍ସବରେ ଆନୁଷ୍ଠାନିକ ଭାବେ ମନୋନୀତ ହୋଇଥିଲା। ହରିୟାଣା ଚଳଚ୍ଚିତ୍ର ମହୋତ୍ସବରେ ବର୍ଶା ନାୟକ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଥିଲେ | ଏହି ଚଳଚ୍ଚିତ୍ରଟି ଶିମଲା ଫିଲ୍ମ ଫେଷ୍ଟିଭାଲରେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲା |
ଟିକିଏ ଅଧିକ google କଲାରୁ ଜଣା ପଡିଲା, ୨୦୧୫ ରେ ଏକବିଂଶ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ତୁଲସୀ ଆପା’ ପ୍ରିମିୟର୍ ହୋଇଥିଲା ଏବଂ 19 ମଇ 2017 ରେ ଭାରତର ବିଭିନ୍ନ ପ୍ରେକ୍ଷାଳୟରେ ଏହାକୁ ରିଲିଜ କରାଗଲା । ନଭେମ୍ବର 2019 ରେ ଆମାଜନ ପ୍ରାଇମ ଭିଡିଓରେ ‘ତୁଲାସୀ ଆପା’ ମୁକ୍ତିଲାଭ କରିଥିଲା । ଏହା ପ୍ରଥମ ଓଡିଆ ଭାଷା ଚଳଚ୍ଚିତ୍ର ଯାହା ଆମାଜନ ପ୍ରାଇମ ଭିଡିଓରେ ସାରା ବିଶ୍ୱରେ ମୁକ୍ତିଲାଭ କରିଥିଲା ।
କିନ୍ତୁ ବହୁତ ଦୁଃଖର ବିଷୟ, ବର୍ତ୍ତମାନ ଯଦି କେହି ଏହି ଚଳଚିତ୍ରକୁ ଦେଖିବା ପାଇଁ ଚାହିଁବେ ତେବେ ଦେଖି ପାରିବେନି, କାରଣ ଏହା ଉପଲବ୍ଧ ନୁହେଁ । ଚଳଚିତ୍ର ନିର୍ମାଣ ହେଲା, ପ୍ରେକ୍ଷାଳୟରେ ମୁକ୍ତିଲାଭ ବି କଲା, ହେଲେ କ’ଣ ହେବ ପହଞ୍ଚିପାରିଲାନି ସମସ୍ତଙ୍କ ପାଖକୁ । ଏବେ ବି ଏମିତି ବହୁତ ଲୋକ ଅଛନ୍ତି ଯିଏ ଏହି ଚଳଚିତ୍ର ଦେଖିନାହାନ୍ତି ବା ଆଉ ଥରେ ଦେଖିବାକୁ ଚାହୁଛନ୍ତି । କିନ୍ତୁ କୌଣସି ସାଧନ ନାହିଁ । ଯଦି ଏହାକୁ ନିର୍ମାତା ଦ୍ୱାରା ଅନ୍ ଲାଇନ୍ ଅଣାଯାଆନ୍ତା ତା’ହେଲେ ଲୋକେ ନିଜ ସମୟାନୁସାରେ ଦେଖିପାରନ୍ତେ ଏବଂ ତୁଳସୀ ଅପାଙ୍କ ଆଦର୍ଶରେ ଅନୁପ୍ରେରିତ ହୁଅନ୍ତେ ନିଶ୍ଚୟ । କାରଣ କୌଣସି ଆନୁଷ୍ଠାନିକ ଶିକ୍ଷା ପାଇନଥିବା ମୁଣ୍ଡା ଜାତିର ଜଣେ ଆଦିବାସୀ ମହିଳା ଯିଏକି 20,000 ରୁ ଅଧିକ ପିଲାଙ୍କୁ ଶିକ୍ଷା ଦେଇଛନ୍ତି ଏବଂ ପ୍ରାଥମିକ କିମ୍ବା ମାଧ୍ୟମିକ ଶିକ୍ଷା ପାଇଁ 17 ଟି ବିଦ୍ୟାଳୟ ପ୍ରତିଷ୍ଠା କରିବାରେ ସରକାରଙ୍କୁ ସାହାଯ୍ୟ କରିଛନ୍ତି ସେ କେବେ ବି ସାଧାରଣ ହୋଇନପାରନ୍ତି । ସେ ଅସାଧାରଣ, ପ୍ରେରଣାର ଉତ୍ସ । ଓଡିଶାର ଗରିବ ଆଦିବାସୀମାନଙ୍କ ମଧ୍ୟରେ ସାକ୍ଷରତା ବିସ୍ତାର କରିବାରେ ତାଙ୍କର ଅବଦାନ ପାଇଁ ତୁଳସୀ ମୁଣ୍ଡାଙ୍କୁ 2001 ମସିହାରେ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଥିଲେ ।
Leave a Reply