ବଡବିଲ (୧୭.୦୪.୨୦୨୫): ଯୋଡା ବ୍ଲକ ଅଧିନସ୍ଥ ଓଡିଶା ଖଣି ନିଗମର ଜିଲିଂ ଲଂଗାଲଟା ଖଣିରେ ଶ୍ରମିକ ବିକ୍ଷୋଭ ଦେଖାଦେଇଛି । ବିଭିନ୍ନ ଦାବି ନେଇ ଏଆଇଟିୟୁସି ତରଫରୁ ଜିଲିଂ ଲଂଗାଲଟା ଖଣି କାର୍ଯ୍ୟାଳୟ ସମ୍ମୁଖରେ ଆଜି ଶ୍ରମିକ ମାନେ ବିକ୍ଷୋଭ କରିଥିବା ଜଣାଯାଇଛି ।
ରାଜ୍ୟର ସବୁଠାରୁ ଅଧିକ ଲାଭଦାୟକ ପବ୍ଲିକ୍ ସେକ୍ଟର ଓଡିଶା ଖଣି ନିଗମ ବାର୍ଷିକ ହଜାର ହଜାର କୋଟି ଟଂକାର ଲାଭ ପ୍ରଦାନ କରୁଥିବାବେଳେ ନିଗମ ଦ୍ବାରା ପରିଚାଳିତ ବିଭିନ୍ନ ଲୌହ, ମାଂଗାନିଜ, ବକ୍ସାଇଟ୍ ଆଦି ଖଣିରେ ଖଣିଜ ପଦାର୍ଥ ଉତ୍ତୋଳନ ପାଇଁ ଯେଉଁ ଶ୍ରମିକ ମାନେ ନିଯୁକ୍ତ ହୋଇଥାନ୍ତି ସେମାନେ ସମସ୍ତେ ବିଭିନ୍ନ ଠିକାଦାର ମାନଙ୍କ ଅଧିନରେ କାର୍ଯ୍ୟ କରିଥାନ୍ତି। କେବଳ କେତେକ ଷ୍ଟାଚ୍ୟୁଟାରୀ ପଦବୀକୁ ଛାଡିଦେଲେ ଡ୍ରାଇଭର ଠାରୁ ଆରମ୍ଭ କରି କ୍ରସର ଅପରେଟର, ଡ୍ରିଲର ଓ ବ୍ଲାଷ୍ଟର, ବଡ ବଡ ମେସିନର ଅପରେଟର, ସାମ୍ପ୍ଲର, ସିକ୍ୟୁରିଟି, ଅଫିସ କିରାନୀ,କମ୍ପ୍ୟୁଟର ଅପରେଟର, କ୍ୟାଣ୍ଟିନ, ଗେଷ୍ଟ ହାଉସରେ ନିଯୁକ୍ତ ସମସ୍ତ ଶ୍ରମିକ ବିଭିନ୍ନ ଠିକାଦାର ଅଧିନରେ କାର୍ଯ୍ୟ କରିଥାନ୍ତି। ଅନେକ ସମୟରେ ଠିକାଦାର ବଦଳୁଥିଲେ ମଧ୍ୟ ଏହି ଶ୍ରମିକ ମାନଙ୍କୁ ନୁତନ ଠିକାଦାର ଅଧିନରେ ପୁନଃନିଯୁକ୍ତି ଦିଆଯାଇଥାଏ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଖଣିର ପାରିପାର୍ଶିକ ଗ୍ରାମର ବାସିନ୍ଦା ଅଟନ୍ତି। କିନ୍ତୁ ବର୍ଷ ବର୍ଷ ଧରି କାମ କରୁଥିବା ଏହି ଶ୍ରମିକ ମାନେ ସେମାନଙ୍କର ଚାକିରୀ ଜୀବନ ମଧ୍ୟରେ କେବଳ ସର୍ବନିମ୍ନ ମଜୁରୀ ପାଇଥାନ୍ତି। ଯେତେ ବର୍ଷ କାମ କଲେବି ସେମାନଙ୍କୁ କେବେବି ଇନକ୍ରିମେଣ୍ଟ, ପ୍ରମୋସନ ହୁଏ ନାହିଁ କିମ୍ବା ବାସଗୃହ, ଚିକିତ୍ସା ସୁବିଧା ଇତ୍ୟାଦି ଦିଆ ଯାଇନଥାଏ। ନିଗମର ସମସ୍ତ ଖଣିଜ ଉତ୍ପାଦନର ଭାଗିଦାରୀ,ଏହି ଶ୍ରମିକ ମାନେ କେବଳ ଶତକଡା ୮.୩୩ ହାରରେ ସର୍ବନିମ୍ନ ବୋନସ ପାଇଥାନ୍ତି । କିନ୍ତୁ ନିଗମର ବିଭାଗୀୟ ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଶତକଡା ୨୦ ଭାଗ ବୋନସ ସହିତ ନବେ ହଜାର ଟଂକା ଗିଫ୍ଟ ଭାବରେ ମିଳିଥାଏ। ଏପରିକି ୫୦ ବର୍ଷରୁ ଅଧିକ ସମୟରୁ ନିଗମରେ କାର୍ଯ୍ୟରତ ଠିକାଦାର ଶ୍ରମିକ ମାନଙ୍କୁ ମିଳୁଥିବା ବାର୍ଷିକ ୧୮ ଦିନର ସିକ୍ ଲିଭ୍ ଓ ୧୦ ଦିନର କାଜୁଆଲ ଲିଭ୍ , ବାର୍ଷିକ ୧୫ ଦିନର ପ୍ରପସନେଟ୍ ଗ୍ରାଚ୍ୟୁଇଟି ମଧ୍ୟ ୨୦୧୯ ମସିହା ଠାରୁ ବନ୍ଦ କରି ଦିଆ ଯାଇଛି । ରାଜ୍ୟରେ ଅନ୍ୟାନ୍ୟ ପବ୍ଲିକ୍ ସେକ୍ଟର ତଥା ଷ୍ଟିଲ୍ ଅଥରିଟି ଅଫ ଇଣ୍ଡିଆର ବଲାଣି , କାଲଟ,ଟେନସା,ବରସୁଆଁ ଓ ତାଲଡିହି ଆଦି ଖଣିରେ କାର୍ଯ୍ୟରତ ହଜାର ହଜାର ଠିକାଦାର ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀ ଠାରୁ ଅଧିକ ପ୍ରତ୍ୟେକ ମାସିକ ୩୭୦୦ ଟଙ୍କା ଆଲାଉନ୍ସ ଭାବରେ ପ୍ରଦାନ କରା ଯାଉଛି। ସେହିଭଳି ନାଲକୋ ଓ ଏମସିଏଲର ବିଭିନ୍ନ ଖଣିରେ କାର୍ଯ୍ୟରତ ସମସ୍ତ ଠିକାଦାର ଶ୍ରମିକ ମାନଙ୍କୁ ସର୍ବନିମ୍ନ ମଜୁରୀଠାରୁ ଅଧିକ ମଜୁରୀ ପ୍ରଦାନ କରା ଯାଉଛି। ତେଣୁ ଓଡିଶା ଖଣି ନିଗମ ସର୍ବାଧିକ ଲାଭ ଦାୟକ ଗୋଲ୍ଡ କ୍ୟାଟଗୋରୀ ସଂସ୍ଥା ହୋଇଥିବାରୁ ଠିକାଦାର ଶ୍ରମିକ ମାନଙ୍କୁ ଅଧିକ ସୁବିଧା ପ୍ରଦାନ ପାଇଁ ଆମେ ଦାବି କରୁଅଛୁ – ଏଆଇଟିୟୁସିର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା କେଉଁଝର ଜିଲ୍ଲା ସାଧାରଣ ସଂପାଦକ ମହେଶ୍ବର ରାଉତ ପ୍ରକାଶ କରିଛନ୍ତି ।

ଏଆଇଟିୟୁସି ତରଫରୁ ଉପସ୍ଥାପନା କରାଯାଇଥିବା ଦାବିଗୁଡିକ ହେଲା –
୧. ଖଣି ନିଗମରେ କାର୍ଯ୍ୟରତ ସମସ୍ତ ଠିକାଦାର ଶ୍ରମିକ ମାନଙ୍କୁ ସେଲ୍ ଖଣି ଶ୍ରମିକ ଭଳି ପ୍ରତ୍ୟେକଙ୍କୁ ମାସିକ ୩୭୦୦ ଟଙ୍କା ହିସାବରେ ଆଲାଓ୍ବାନ୍ସ ଦିଆ ଯାଉ।
୨.ଦୀର୍ଘ ପଚାଶ ବର୍ଷରୁ ଅଧିକ ସମୟ ଧରି ପ୍ରଚଳିତ ବର୍ଷକୁ ୧୮ ଦିନର ସିକ୍ ଲିଭ୍, ୧୦ ଦିନର କାଜୁଆଲ ଲିଭ୍, ୧୫ ଦିନର ପ୍ରପସନେଟ୍ ଗ୍ରାଚ୍ୟୁୟିଟି ପୁନଃ ପ୍ରଚଳନ କରାଯାଉ।
୩. ସମସ୍ତ ଠିକାଦାର ମାନଙ୍କ ନିଯୁକ୍ତି ସର୍ବନିମ୍ନ ୨୦ ବର୍ଷ ପାଇଁ କରାଯାଉ।
୪. ବିଭାଗୀୟ ଶ୍ରମିକ ମାନଙ୍କ ଭଳି ସମସ୍ତ ଠିକାଦାର ଶ୍ରମିକ ମାନଙ୍କୁ ୨୦ ଭାଗ ବୋନସ୍ ଓ ଗିଫ୍ଟ ପ୍ରଦାନ କରାଯାଉ।
୫. ମାଇନ୍ସ ଆକ୍ଟ ଅନୁଯାୟୀ ୧୨ତମ ଉପଦେଷ୍ଟା ମଣ୍ଡଳି ନିର୍ଦ୍ଦେଶ ଅନୁସାରେ ସମସ୍ତ ଠିକାଦାର ଶ୍ରମିକମାନଙ୍କୁ ବାସଗୃହ ଯୋଗାଇ ଦିଆଯାଉ ନହେଲେ ଘରଭଡା ପ୍ରଦାନ କରାଯାଉ।
୬. ବର୍ଷ ବର୍ଷ ଧରି କାର୍ଯ୍ୟରତ ଶ୍ରମିକ ମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ଦେବା ସହ ସିନିୟରିଟି ଅନୁସାରେ ପ୍ରମୋସନ କରାଯାଉ।
୭. ସମସ୍ତ ଠିକାଦାର ଶ୍ରମିକ ଓ ତାଙ୍କ ପରିବାର ସଦସ୍ୟ ମାନଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଖଣି ନିଗମ ଦ୍ବାରା ଯୋଗାଇ ଦିଆଯାଉ।
୮. ସମସ୍ତ ଠିକାଦାର ଶ୍ରମିକ ମାନଙ୍କର ଗ୍ରୁପ ଇନସ୍ୟୁରାନ୍ସ କରାଯିବା ସହ ମୃତ୍ୟୁକାଳୀନ ସହାୟତା ଯୋଗାଇ ଦିଆଯାଉ।
୯. ସମସ୍ତ ଠିକାଦାର ଶ୍ରମିକ ମାନଙ୍କୁ ଇଏସ୍ଆଇର ସଭ୍ୟଭୁକ୍ତ କରାଯାଉ।
୧୦. ଚାକିରି ସମୟ ଭିତରେ କୌଣସି ଠିକାଦାର ଶ୍ରମିକର ମୃତ୍ୟୁ ହେଲେ ତାଙ୍କ ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଉ।
ଉପରୋକ୍ତ ଦାବି ଗୁଡିକ ସମ୍ପର୍କରେ ଆଲୋଚନା କରାଯାଇ ଏକ ମାସ ମଧ୍ୟରେ ସମାଧାନ କରା ନ ହେଲେ ଶ୍ରମିକ ମାନେ ଆନ୍ଦୋ଼ଳନାତ୍ମକ ପନ୍ଥା ଅବଲମ୍ବନ କରିବା ସହ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ଶ୍ରୀ ରାଉତ ପ୍ରକାଶ କରିଥିବା ଜଣାଯାଇଛି ।
ଏଆଇଟିୟୁସିର ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା କେଉଁଝର ଜିଲ୍ଲା ସାଧାରଣ ସଂପାଦକ ମହେଶ୍ବର ରାଉତ ଏହି ଶ୍ରମିକ ବିକ୍ଷୋଭର ନେତୃତ୍ୱ କରୁଥିବାବେଳେ ୟୁନିୟନ ଉପ ସାଧାରଣ ସଂପାଦକ କପିଳ ମହାନ୍ତି, ଉପ ସଭାପତି କାହ୍ନୁ ସାମଲ, ଶ୍ରୀହରି ଘଣା, ରାଜାରାମ ମୁଣ୍ଡା,ବଦ୍ରୁ ଜାମା, ହୃଦା ନନ୍ଦ ପାତ୍ର, ବିରଂଚି ଦେହୁରୀ, ମାର୍କଣ୍ଡ ଦେହୁରୀ, ଖଗେଶ୍ବର ମହନ୍ତ, ବାଗରା ଚାତାର ପ୍ରମୁଖ ନେତୃତ୍ବ ନିଜ ନିଜର ବକ୍ତବ୍ୟ ରଖିବା ସହ ଆନ୍ଦୋଳନରେ ସାମିଲ ହୋଇଥିଲେ।

Leave a Reply