ରୁଗୁଡି, ୨୧.୦୪.୨୦୨୫ (ଲୋକନାଥ ଖିଲାର): ଗତ କାଲି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଏକ ହାଇୱା ଢାବା ଭିତରକୁ ମାଡିଯିବାରୁ ଡାବା ମାଲିକାଣୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ରୁଗୁଡି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ମିଳିଥିବା ସୂଚନାନୁସାରେ କେନ୍ଦୁଝର ଜିଲ୍ଲା ରୁଗୁଡି ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥ ଗୁଆଲି-ନଦୀଡିହି ଛକ ନିକଟରେ ସୁଷମା ରଣା(୪୮) ନାମକ ଏକ ମହିଳା ରାସ୍ତାକଡରେ ଏକ ଢାବା କରି ପରିବାର ପ୍ରତିପୋଷଣ କରୁଥିଲେ । ତେବେ ଗତ କାଲି ସନ୍ଧ୍ୟା ୫ଟା ସମୟରେ କୋଇଡା ରୁ ଗୁଆଲି ପଟକୁ ଆସୁଥିବା ଏକ ହାଇୱା (ଓଡି-୦୯-ପି-୭୦୯୨) ହଠାତ୍ ଭାରସାମ୍ୟ ହରାଇ ଢାବା ଭିତରକୁ ମାଡିଯାଇଥିଲା । ସେହି ସମୟରେ ଢାବା ଭିତରେ ଡାବା ମାଲିକାଣୀ ସୁଷମା ଓ ଜଳଖିଆ ତିଆରି କରୁଥିବା ମିସ୍ତ୍ରୀ ସଞ୍ଜୟ ଦାସ ଥିଲେ । ଫଳରେ ଚାପି ହୋଇ ଘଟଣା ସ୍ଥଳରେ ହିଁ ସୁଷମାଙ୍କ ମୃତ୍ୟୁ ହୋଇଥିବାବେଳେ ସଞ୍ଜୟ ଦାସଙ୍କୁ ଗୁରୁତର ଅବସ୍ଥାରେ ବଡବିଲ ଗୋଷ୍ଠୀ କେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ପଠେଇ ଦିଆଯାଇଥିଲା ।

ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲା । ଖବର ପାଇ ରୁଗୁଡି ଥାନା ଆଇ.ଆଇ.ସି ରବିଶଙ୍କର ବୈଶା ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ସେଠାରେ ଉପସ୍ଥିତ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିସାରିଥିଲେ । ସମସ୍ତେ ଉତ୍ତେଜିତ ହେବା ସହିତ ମୃତକଙ୍କ ପରିବାରକୁ ସହାୟତା ଦାବୀରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ । ପରେ ବଡବିଲ ଆଇ.ଆଇ.ସି ଅଶୋକ କୁମାର ନାୟକ ସେଠାରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରି ତାଙ୍କୁ ଶାନ୍ତ କରିଥିଲେ । ଶେଷରେ ମୃତକଙ୍କ ପରିବାରକୁ ରେଡକ୍ରସ ତରଫରୁ ସହାୟତା ପ୍ରଦାନ କରାଯିବା ପରେ ମୃତ ଶରୀରକୁ ବଡବିଲ ଗୋଷ୍ଠୀକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

ତେବେ ଦୁର୍ଘଟଣା ଘଟାଇଥିବା ହାଇୱା କୋଇଡା ଅଂଚଳର ହୋଇଥିବାବେଳେ ରୁଗୁଡି ପୋଲିସ ହାଇୱାକୁ ଜବତ କରିବା ସହ ଏକ କେସ୍ ରୁଜୁ କରିଥିବା ଜଣାଯାଇଛି ।
ମୃତ ମହିଳା ଭଦ୍ରକ ଜିଲ୍ଲା ବନ୍ତ ଥାନା ଅନ୍ତର୍ଗତ ପଳସା ଗ୍ରାମର ବୋଲି ଜଣାଯାଇଛି ।

Leave a Reply